୫୦୦ ପାରାଙ୍କୁ ନିଜ ପରିବାର ଭାବନ୍ତି ଅନୱର, ପୁଅର ମୃତ୍ୟୁ ପରେ ପାରା ହିଁ ପାଲଟିଲେ ଜୀବନର ସାହାରା

ଗୟା:ଦିନେ ପାରା ଥିଲେ ଚିଠି ଓ ସନ୍ଦେଶ ପହଞ୍ଚାଇବାର ଏକ ଭରସାଯୋଗ୍ୟ ମାଧ୍ୟମ। ଆଜି ମୋବାଇଲ୍, ଇଣ୍ଟରନେଟ୍ ଓ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଯୁଗରେ ପାରାଙ୍କ ସେହି ପୁରୁଣା ଗୁରୁତ୍ୱ ହୁଏତ କମିଯାଇଛି। କିନ୍ତୁ କିଛି ଲୋକଙ୍କ ହୃଦୟରେ ଆଜି ବି ପାରାଙ୍କ ପ୍ରତି ଭଲପାଇବା ଓ ଆକର୍ଷଣ ଅତୁଟ ରହିଛି। ଏମିତି ଏକ ନିଆରା ଭଲପାଇବାର ଉଦାହରଣ ହେଉଛନ୍ତି ବିହାରର ଗୟା ଜିଲ୍ଲାର ୫୮ ବର୍ଷୀୟ ଅନୱର ରିଜୱାନ୍, ଯାହାଙ୍କୁ ସମସ୍ତେ ‘ପିଜନ୍ ମ୍ୟାନ୍’ ବା ‘ପାରା ମଣିଷ’ ନାମରେ ଜାଣନ୍ତି।

ଗୟାର ମାରୁଫଗଞ୍ଜ ଅଞ୍ଚଳରେ ରହୁଥିବା ଅନୱରଙ୍କ ପାଖରେ ରହିଛନ୍ତି ପ୍ରାୟ ୫୦୦ଟି ପାରା। ଏଥିରେ ଭାରତ ସହିତ ସାଉଦି ଆରବ ଓ ପାକିସ୍ତାନର ବିଭିନ୍ନ ବିରଳ ପ୍ରଜାତିର ପାରା ମଧ୍ୟ ରହିଛନ୍ତି। ଦୀର୍ଘ ୪୫ ବର୍ଷରୁ ଅଧିକ ସମୟ ଧରି ସେ ପାରା ପାଳନ କରିଆସୁଛନ୍ତି। ତାଙ୍କ ପାଇଁ ଏହି ପକ୍ଷୀମାନେ କେବଳ ଶୌକର ଅଂଶ ନୁହନ୍ତି, ବରଂ ପରିବାରର ସଦସ୍ୟ।

 ୧୩ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ପାରା ପ୍ରତି ଭଲପାଇବା

ଅନୱରଙ୍କ କହିବା ଅନୁଯାୟୀ, ମାତ୍ର ୧୩-୧୪ ବର୍ଷ ବୟସରୁ ତାଙ୍କ ମନରେ ପାରା ପାଳିବାର ସଉକ ଜନ୍ମ ନେଇଥିଲା। ସେହି ସମୟରେ ନିଜ ମାମୁଁ ଘରୁ କିଛି ପାରା ଆଣି ସେ ପାଳିବା ଆରମ୍ଭ କରିଥିଲେ। ପ୍ରଥମେ ଏହା ଏକ ସାଧାରଣ ଶୌକ ଥିଲା। କିନ୍ତୁ ସମୟ ବିତିବା ସହ ପାରାଙ୍କ ପ୍ରତି ତାଙ୍କର ଆକର୍ଷଣ ଓ ଭଲପାଇବା ଏତେ ବଢ଼ିଗଲା ଯେ ଏହା ତାଙ୍କ ଜୀବନର ଏକ ଅଭିନ୍ନ ଅଂଶ ପାଲଟିଗଲା।

ଆଜି ତାଙ୍କ ସଂଗ୍ରହରେ ବନାରସୀ, ଇଲାହାବାଦୀ, ଶାହଜାହାନପୁରୀ, କମଗର, ଟେଡି ଓ ଗିରେହବାଜ ଭଳି ଅନେକ ପ୍ରଜାତିର ପାରା ରହିଛନ୍ତି। ଏହା ସହିତ ଆମରସରେ ପ୍ରଜାତିର ସବୁଜ ଓ ନାଲି ରଙ୍ଗର ଆକର୍ଷଣୀୟ ପାରା ମଧ୍ୟ ତାଙ୍କ ସଂଗ୍ରହକୁ ଆହୁରି ସ୍ୱତନ୍ତ୍ର କରିଛି।

ପାରାଙ୍କ ଖାଦ୍ୟ ଓ ଯତ୍ନ ପାଇଁ ଖର୍ଚ୍ଚ ହୁଏ ଲକ୍ଷାଧିକ ଟଙ୍କା

ପାରା ପାଳନ କରିବା କେବଳ ଅନୱରଙ୍କ ପାଇଁ ଏକ ଶୌକ ନୁହେଁ, ବରଂ ଏକ ବଡ଼ ଦାୟିତ୍ୱ ମଧ୍ୟ। ପ୍ରାୟ ୫୦୦ ପାରାଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ସେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରନ୍ତି।

ପାରାଙ୍କୁ ସୁସ୍ଥ ଓ ଶକ୍ତିଶାଳୀ ରଖିବା ପାଇଁ ସେ ରାଗି, ବୁଟ, ମକା, ବାଜରା, ସୋରିଷ ଓ ଅଳସୀ ଭଳି ପୁଷ୍ଟିକର ଖାଦ୍ୟ ଦିଅନ୍ତି। ଉଡ଼ାଣ ପ୍ରତିଯୋଗିତା ପୂର୍ବରୁ ସେମାନଙ୍କୁ ବାଦାମ, କାଜୁ, କିସମିସ୍ ଓ ହାଲୱା ମଧ୍ୟ ଖାଇବାକୁ ଦିଆଯାଏ। ଏହା ସହ ପାରାଙ୍କ ପାନୀୟ ଜଳ ପାଇଁ ଆର୍‌ଓ ପାଣିର ବ୍ୟବସ୍ଥା ରହିଛି।

 ୩ରୁ ୪ ହଜାର ଫୁଟ ଉଚ୍ଚତାରେ ଉଡ଼ନ୍ତି ପାରା

ଅନୱର ନିଜ ପାରାମାନଙ୍କୁ ପାରମ୍ପରିକ ପଦ୍ଧତିରେ ଉଡ଼ିବାର ପ୍ରଶିକ୍ଷଣ ଦିଅନ୍ତି। ତାଙ୍କ ପାରାମାନେ ପ୍ରାୟ ୩ରୁ ୪ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରନ୍ତି। ଘଣ୍ଟା ଘଣ୍ଟା ଧରି ଆକାଶରେ ଉଡ଼ିବା ପରେ ମଧ୍ୟ ସେମାନେ ନିଜ ଘରକୁ ଫେରି ଆସନ୍ତି। ଏହି କ୍ଷମତା ଓ ଉଡ଼ାଣ ଦକ୍ଷତା ପାଇଁ ଅନୱରଙ୍କ ପାରାମାନେ ଅନେକ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇଛନ୍ତି।

୧୫ଟି ପ୍ରତିଯୋଗିତାରେ ବିଜୟର ଗୌରବ 

ପାରା ଉଡ଼ାଇବାର ନିଜ ସଉକକୁ ଅନୱର ପ୍ରତିଯୋଗିତାର ମଞ୍ଚ ପର୍ଯ୍ୟନ୍ତ ନେଇଯାଇଛନ୍ତି। ଏପର୍ଯ୍ୟନ୍ତ ସେ ପ୍ରାୟ ୧୫ଟି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି। ବିହାର-ଉତ୍ତରପ୍ରଦେଶ ସ୍ତରୀୟ ପ୍ରତିଯୋଗିତାରେ ଦୁଇଥର ଚାମ୍ପିୟନ ହୋଇଥିବାବେଳେ ଜାତୀୟ ସ୍ତରର ଉସ୍ତାଦୀ କପ୍‌ରେ ରନର୍ସଅପ୍ ହେବାର ଗୌରବ ମଧ୍ୟ ହାସଲ କରିଛନ୍ତି। ଏହା ସହ ଜିଲ୍ଲା ଓ ରାଜ୍ୟସ୍ତରରେ ମଧ୍ୟ ଅନେକ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି।

 ଏକମାତ୍ର ପୁଅର ମୃତ୍ୟୁ ପରେ ପାରା ପାଲଟିଲେ ଜୀବନର ସାହାରା

ଅନୱରଙ୍କ ଜୀବନ କାହାଣୀର ସବୁଠାରୁ ଭାବପ୍ରବଣ ଅଧ୍ୟାୟ ହେଉଛି ତାଙ୍କ ପରିବାରର ଦୁଃଖଦ ଘଟଣା। ଅସୁସ୍ଥତା କାରଣରୁ ତାଙ୍କ ଏକମାତ୍ର ପୁଅର ମୃତ୍ୟୁ ହୋଇଥିଲା। ଏହି ଘଟଣା ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲା। ସେହି ଦୁଃଖଦ ସମୟରେ ମାନସିକ ଭାବେ ନିଜକୁ ସମ୍ଭାଳିବା ତାଙ୍କ ପାଇଁ ବେଶ୍ କଷ୍ଟକର ହୋଇପଡ଼ିଥିଲା।

କିନ୍ତୁ ଏହି କଠିନ ସମୟରେ ପାରାମାନଙ୍କ ସାଥ୍ ତାଙ୍କୁ ଏକ ନୂଆ ଆଶ୍ରୟ ଦେଇଥିଲା। ସେମାନଙ୍କ ସହ ସମୟ ବିତାଇବା, ଖାଦ୍ୟ ଦେବା ଓ ଯତ୍ନ ନେବା ତାଙ୍କୁ ଦୁଃଖରୁ ବାହାରିବାରେ ସାହାଯ୍ୟ କରିଥିଲା। ଧୀରେ ଧୀରେ ପାରାମାନଙ୍କ ସହ ତାଙ୍କର ସମ୍ପର୍କ ଆହୁରି ଗଭୀର ହୋଇଥିଲା। ଆଜି ସେହି ପକ୍ଷୀମାନେ ହିଁ ତାଙ୍କ ଜୀବନର ଆନନ୍ଦ ଓ ସାଥୀ ପାଲଟିଛନ୍ତି।

ଅନୱରଙ୍କ କଥାରେ, “ମଦର ନିଶା ଛାଡ଼ି ହୋଇପାରେ, କିନ୍ତୁ ପାରା ପାଳିବାର ସଉକ ଜୀବନସାରା ଛାଡ଼ି ହୁଏନାହିଁ। ଏମାନେ ମୋ ପରିବାରର ସଦସ୍ୟ। ଜୀବନ ଯିବା ପର୍ଯ୍ୟନ୍ତ ଏମାନଙ୍କ ସାଥ୍ ଛାଡ଼ିବି ନାହିଁ।”

ଆଜିର ଆଧୁନିକ ଯୁଗରେ ଯେଉଁଠି ଲୋକଙ୍କ ଜୀବନ ମୋବାଇଲ୍ ଓ ଡିଜିଟାଲ୍ ଦୁନିଆ ଭିତରେ ସୀମିତ ହୋଇଯାଉଛି, ସେଠି ଅନୱରଙ୍କ ଜୀବନ ପ୍ରକୃତି ଓ ପକ୍ଷୀଙ୍କ ପ୍ରତି ନିଃସ୍ୱାର୍ଥ ଭଲପାଇବାର ଏକ ନିଆରା ଉଦାହରଣ। ୫୦୦ ପାରାଙ୍କ ଗହଣରେ ତାଙ୍କର ଦୁନିଆ। ତାଙ୍କ ପାଇଁ ଏହା କେବଳ ଏକ ସଉକ ନୁହେଁ, ବରଂ ଜୀବନର ଏକ ଅମୂଲ୍ୟ ସମ୍ପର୍କ ଓ ଅସରନ୍ତି ଭଲପାଇବାର କାହାଣୀ।